Description
ବିଷ୍ଣୁଶର୍ମା ବିରଚିତ “ପଞ୍ଚତନ୍ତ୍ର” କେତେ କାଳ ଧରି ତା’ର ମହକ ଜାରି ରଖିଛି ତାହା ଆକଳନ କରିବା ଆଦୌ ସମ୍ଭବ ନୁହେଁ। ତେବେ ଆଜକୁ ହଜାର ହଜାର ବର୍ଷ ଧରି ପଞ୍ଚତନ୍ତ୍ର ବିଶ୍ୱସାହିତ୍ୟରେ ବିଶେଷକରି ଭାରତୀୟ ସଂସ୍କୃତିରେ ଏକ ଅନବଦ୍ୟ କୃତି ଏଥିରେ କୌଣସି ସନ୍ଦେହ ନାହିଁ। ବର୍ଷ ବର୍ଷ ଧରି ଜନମାନସକୁ ପଞ୍ଚତନ୍ତ୍ର ଉଦ୍ବୁଦ୍ଧ କରି ଆସୁଛି। ସାଧାରଣରେ ଏକ ଭ୍ରମ ସୃଷ୍ଟି ହୋଇଥାଏ ଯେ, ପଞ୍ଚତନ୍ତ୍ର କେବଳ ପିଲାମାନଙ୍କ ପାଇଁ ଲେଖା ଯାଇଥିଲା। ନା, ଏହା ଏକ ଭ୍ରମାତ୍ମକ ଧାରଣା। ଯଦିଓ ଏଥିରେ ବର୍ଣ୍ଣିତ ଗଳ୍ପ ମାନଙ୍କର ନାୟକ ଓ ନାୟିକା ପ୍ରାୟତଃ ପଶୁ ପକ୍ଷୀ ତେବେ ଏଗୁଡ଼ିକ ପିଲାମାନଙ୍କ ପାଇଁ ଯେତିକି ଆମୋଦ ଦାୟକ ହୋଇଥାଏ ଯଥାର୍ଥରେ ସେତିକି ବଡ଼ମାନଙ୍କ ପାଇଁ ପଥ ପ୍ରଦର୍ଶକ। ପଥଭ୍ରଷ୍ଟ ମଣିଷ ପାଇଁ, ଜୀବନ ଜ୍ୱାଳାରେ ଛଟପଟ ମଣିଷ ପାଇଁ ପଞ୍ଚତନ୍ତ୍ର ଏକ ନୀତିଶାସ୍ତ୍ରର ମାନ୍ୟତା ରଖିଥାଏ। ଆଜିକାର ମୋବାଇଲ ଯୁଗରେ ଯେବେ ପିଲାଙ୍କଠାରୁ ବୁଢ଼ାଙ୍କ ଯାଏଁ ସଭିଏଁ କେବଳ ମୋବାଇଲ ଦେଖିବାରେ ବ୍ୟସ୍ତ ସେତବଳେ ପୁଣିଥରେ ପିଲାଙ୍କ ଭିତରେ ପଢ଼ିବାର ଆଗ୍ରହ ସୃଷ୍ଟି ପାଇଁ ଆମର ଏ ଉଦ୍ୟମ। ଆଶା ଓ ବିଶ୍ୱାସ ଯେକେହି ପଞ୍ଚତନ୍ତ୍ରର ଗପ ଗୁଡ଼ିକ ପଢ଼ିବେ, ତାଙ୍କର ଜୀବନ ଜିଣିବାର କଳା କୌଶଳ ଶିଖିଯିବା ସହ ଜୀବନ ଅର୍ଥପୂର୍ଣ୍ଣ ମନେ ହେବ। ପଞ୍ଚତନ୍ତ୍ର ପାଞ୍ଚୋଟି ଭାଗରେ ବା ତନ୍ତ୍ରରେ ବିଭାଜିତ। ପ୍ରତ୍ୟେକ ଗଳ୍ପ – ବହିର ଶେଷ ଗଳ୍ପ ଯାଏଁ ପରସ୍ପର ସହ ସମ୍ଭୋଦ୍ଧିତ, ଯାହା ଥରେ ପାଠ କଲେ ଶେଷ ନକରି ରହିହେବ ନାହିଁ। ପଞ୍ଚତନ୍ତ୍ର ପାଠ କରି ପାଠକ ଯଦି ଆନନ୍ଦ ପାଏ ତେବେ ଆମର ଶ୍ରମ ସାର୍ଥକ ହେବ।
Reviews
There are no reviews yet.